ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ, ଇଶାନ କିଷନଙ୍କ ଧୂଆଁଧାର ଦ୍ୱିଶତକ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଚମକିଲେ ଇଶାନ କିଷନ । ହାସଲ କରିଛନ୍ତି ବିସ୍ଫୋରକ ଦ୍ଵିଶତକ । ଚଟ୍ଟଗାଓଁରେ ଅନୁଷ୍ଠିତ ମ୍ୟାଚରେ ୨୪ ବର୍ଷୀୟ ଇଶାନ ୨୧୦ ରନ୍ ର ବିଶାଳ ଇନିଂସ ଖେଳିଛନ୍ତି । କ୍ୟାରିଅରର ଦଶମ ଦିନିକିଆ ମ୍ୟାଚରେ ସେ ଏହି ମାଇଲଷ୍ଟୋନ ଛୁଇଁବାରେ ସଫଳ ହୋଇଛନ୍ତି । ସେ ୧୩୧ଟି ବଲ୍ ଖେଳି ୨୧୦ ରନର ଧୂଆଁଧାର ଇନିଂସ କରିଛନ୍ତି । ଏହି ବିଶାଳ ସ୍କୋର ମଧ୍ୟରେ ୨୪ ଚୌକା ଏବଂ ୧୦ ଛକା ରହିଛି । ଇଶାନ ଏହା ପୂର୍ବରୁ ନଅଟି ଦିନିକିଆ ମ୍ୟାଚରେ ୩୩.୩୭ ହାରରେ ୨୬୭ ରନ୍ କରିଥିଲେ । ଦିନିକିଆରେ ତାଙ୍କର ସର୍ବୋଚ୍ଚ ସ୍କୋର ଥିଲା ୯୩ ରନ୍ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ସହ ମିଶି ଇଶାନ ଟିମ୍ ଇଣ୍ଡିଆ ପାଇଁ ୨୯୦ ରନ୍ ର ପାର୍ଟନରସିପ୍ କରିଥିଲେ । ଏହାସହ ଅନ୍ତର୍ଜାତୀୟ କ୍ରିକେଟରେ ଇଶାନ କିଷନ ସର୍ବକନିଷ୍ଠ ଖେଳାଳି ଭାବେ ଦ୍ଵିଶତକ ଅର୍ଜନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଦିନିକିଆ କ୍ରିକେଟରେ ପ୍ରଥମ ଦ୍ଵିଶତକ ହାସଲ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚିନ ୨୦୨୦ ଫେବୃଆରୀ ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନ୍ ର ଇନିଂସ ଖେଳିଥିଲେ । ୨୦୨୧ରେ ଇଶାନ କିଷନ ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ପଦାର୍ପଣ କରିଥିଲେ । ତେବେ ବରିଷ୍ଠ ଖେଳାଳିଙ୍କ ଉପସ୍ଥିତି ଯୋଗୁଁ ତାଙ୍କୁ ଖେଳିବାକୁ କମ୍ ସୁଯୋଗ ମିଳିଛି । ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଦିନିକିଆରେ ରୋହିତ ଶର୍ମା ଆହତ ହୋଇ ସିରିଜରୁ ବାଦ୍ ପଡିବା ପରେ ଇଶାନଙ୍କ ଭାଗ୍ୟ ଚମକି ଉଠିଥିଲା । ତାଙ୍କୁ ଖେଲିବାକୁ ସୁଯୋଗ ମିଳିଥିଲା । ଆଉ ଏହି ଯୁବ ବ୍ୟାଟ୍ସମ୍ୟାନ ଏହି ସୁଯୋଗର ସଦୁପଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *