ଐତିହାସିକ ଶୃଙ୍ଖଳା ମୂଳପୋଛ ଆଶା

ରାଜକୋଟ: ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଫଳାଫଳ ଶୃଙ୍ଖଳାର ଭାଗ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, କାରଣ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ନେଇ ସାରିଛି। କିନ୍ତୁ ଅନ୍ୟ ଦୁଇଟି କାରଣରୁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ବପୂର୍ଣ୍ଣ ‌ହୋଇପଡ଼ିଛି। ଏହି ମ୍ୟାଚ୍‌ର ଠିକ୍ ୧୩ ଦିନ ପରେ ଦୁଇ ଦେଶ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବେ। ‌ସେହି ଦୃଷ୍ଟିରୁ ଏହାକୁ ରିହରସଲ୍‌ ବିବେଚନା କରାଯାଉଛି। ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଭାରତ ପାଇଁ ଏହି ମୁକାବିଲା ଏକ ଅପୂର୍ବ ତଥା ଐତିହାସିକ ସଫଳତାର ସୁଯୋଗ ଆଣିଛି। ଘରୋଇ ମାଟି ହେଉ କି ବିଦେଶ, ଦିନିକିଆ ଫର୍ମାଟରେ ଭାରତ କେବେ ଅଷ୍ଟ୍ରେଲିଆ ବିପକ୍ଷରେ ମୂଳପୋଛ ସଫଳତା ପାଇପାରିନାହିଁ। ଏପରିକି ଶୃଙ୍ଖଳାର ମ୍ୟାଚ୍‌ ସଂଖ୍ୟାକୁ ଏଠାରେ ବିଚାର କରାଯାଇନାହିଁ। ସେହି ଦୃଷ୍ଟିରୁ ରୋହିତ ସେନା ସମ୍ମୁଖରେ ଏକ ବିରଳ ୩-୦ ସଫଳତାର ସୁବର୍ଣ୍ଣ ସୁଯୋଗ ରହିଛି। ଏଭଳି ସଫଳତା ମଧ୍ୟ ଭାରତକୁ ବିଶ୍ବକପ୍‌ ଅଭିଯାନ ପୂର୍ବରୁ ବଡ଼ ଆତ୍ମବିଶ୍ବାସ ତଥା ମନସ୍ତାତ୍ତ୍ବିକ ଫାଇଦା ଦେଇପାରିବ। ଅନ୍ୟପକ୍ଷରେ କ୍ରମଗାତ ୫ ଦିନିକିଆ ହାରିଥିବା ଅଷ୍ଟ୍ରେଲିଆ ବିଶ୍ବକପ୍‌ ପୂର୍ବରୁ ଏଭଳି ପରାଜୟ ବରଣ ନ କରିବାକୁ ନିଶ୍ଚିତ ଚେଷ୍ଟା କରିବ। ସୂଚନାଯୋଗ୍ୟ, ବିଶ୍ବକପ୍‌ରେ ‌ଅକ୍ଟୋବର ୮ରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ।
ADVERTISEMENT


ଭାରତ ଏହାର ପ୍ରମୁଖ ୪ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବଙ୍କ ବିନା ଚଳିତ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବିଜୟୀ ହୋଇଛି। ବୁଧବାର ମ୍ୟାଚ୍‌କୁ କିନ୍ତୁ ହାର୍ଦିକଙ୍କ ବିନା ଏମାନେ ‌ଫେରିଛନ୍ତି। ହାର୍ଦିକଙ୍କ ସହ ଶୁବମନ ଗିଲ୍‌, ଶାର୍ଦୁଳ ଠାକୁର, ଅକ୍ଷର ପଟେଲ୍‌, ମହମ୍ମଦ ସାମି ମଧ୍ୟ ବୁଧବାର ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ଗିଲଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ସାମି ଓ ପ୍ରସିଦ୍ଧଙ୍କ ବଦଳରେ ବୁମରା ଓ ସିରାଜ ଚୂଡାନ୍ତ ଏକାଦଶକୁ ଫେରି ଆସିବେ। ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଆର୍‌ ଅଶ୍ବିନଙ୍କ ଉପରେ ପୁଣି ନଜର ରହିବ। ଅକ୍ଷର ପଟେଲ୍‌ ଉପଲବ୍‌ଧ ନ ହେଲେ ଆର୍‌ ଅଶ୍ବିନ୍‌ ବଦଳ ଖେଳାଳି ଭାବେ ବିଶ୍ବକପ୍‌ ଦଳରେ ଯୋଡ଼ିହେବା ଯୋଜନା ରହିଛି।

ଅଷ୍ଟ୍ରେଲିଆ ପାଇଁ ପ୍ୟାଟ୍ କମିନ୍ସ ଅଧିନାୟକ ଭୂମିକାକୁ ଫେରିବାକୁ ଯାଉଥିବାବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍‌ ଓ ମିଚେଲ ଷ୍ଟାର୍କ ଆକ୍ସନରେ ଦେଖିବାକୁ ମିଳିବା ସମ୍ଭାବନା ରହିଛି। ଉଭୟ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ସହ ଭାରତ ବିପକ୍ଷ ପ୍ରଥମ ଦୁଇଟିରେ ଖେଳିନଥିଲେ। ଶୃଙ୍ଖଳା ମୂଳପୋଛ ଏଡ଼ାଇବାକୁ ଭ୍ରମଣକାରୀ ଦଳକୁ ନିଶ୍ଚିତ ବୋଲିଂ ସହ ଅଲ୍ ରାଉଣ୍ଡ୍‌ ପ୍ରଦର୍ଶନର ଆବଶ୍ୟକତା ରହିଛି। ଦଳର ବୋଲରମାନେ ବିଗତ ୫ ଦିନିକିଆରୁ ୪ଟିରେ ପ୍ରଚୁର ରନ୍‌ (୩୩୮, ୪୧୬, ୩୧୫, ୩୯୯) ଖର୍ଚ୍ଚ କରିଛନ୍ତି। ପରାଜୟ ଧାରା ଭାଙ୍ଗିବା ପାଇଁ ଦଳକୁ ଏହାକୁ ରୋକିବାକୁ ପଡ଼ିବ।
ପିଚ୍‌: ରାଜକୋଟ ପିଚ୍‌ ମଧ୍ୟ ବ୍ୟାଟିଂ ପାଇଁ ପରିଚିତ। ଏକାଧିକ ଥର ୩୦୦ରୁ ଊର୍ଧ୍ବ ରନ୍‌ ସଂଗୃହିତ ହୋଇଛି। ୩ଟି ମ୍ୟାଚ୍‌ରୁ ୪ଟି ପାଳିରେ ଏହା ଦେଖିବାକୁ ମିଳିଛି। ୨୦୨୦ରେ ଏଠାରେ ଶେଷ ଦିନିକିଆ ଖେଳାଯିବାବେଳେ ଭାରତର ୩୪୦/୬ ଜବାବରେ ଅଷ୍ଟ୍ରେଲିଆ ୩୦୪ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ବୁଧବାର ରାଜକୋଟ ଆକାଶ ଆଂଶିକ ମେଘାଛନ୍ନ ରହିବ ବୋଲି କୁହାଯାଉଥିଲେ ମଧ୍ୟ ବ‌ର୍ଷାର ପୂର୍ବାନୁମାନ କରାଯାଇନାହିଁ।

ସଂଖ୍ୟା: ଅଷ୍ଟ୍ରେଲିଆ ୨୦୨୦ରେ ଶେଷ ଥର ପାଇଁ ୫ ମ୍ୟାଚ୍‌ ପରାଜୟ ଧାରାରେ ଥିଲା। ସେଥର ଭଳି ଏଥର ମଧ୍ୟ ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷରେ ସମାନ ସ୍ଥିତିରେ ରହିଛି। ପୂର୍ବରୁ ଥରେ ମାତ୍ର ଅଷ୍ଟ୍ରେଲିଆ ୫ରୁ ଅଧିକ ଦିନିକିଆ କ୍ରମାଗତ ହାରିଛି। ୨୦୧୮ରେ ଦଳ କ୍ରମାଗତ ୭ ଦିନିକିଆ ହାରିଥିଲା। ଷ୍ଟିଭେନ୍ ସ୍ମିଥ୍ ଚତୁର୍ଥ ଅଷ୍ଟ୍ରେଲୀୟ ଭାବେ ଦିନିକିଆରେ ୫,୦୦୦ ରନ୍‌ ପୂର୍ଣ୍ଣ କରିବାଠାରୁ ୨୦ ଦୂରରେ ଅଛନ୍ତି।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର୍‌, କେଏଲ୍ ରାହୁଲ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ଆର୍ ଅଶ୍ବିନ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ମିଚେଲ୍ ମାର୍ସ, ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ୍ ସ୍ମିଥ୍‌, ମାର୍ନସ ଲବୁସ‌ାନ୍‌, ଆଲେକ୍ସ କ୍ୟାାରି (ୱିକେଟରକ୍ଷକ), ମାର୍କସ ଷ୍ଟୋଇନିସ୍‌, ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍‌।

Leave a Reply

Your email address will not be published. Required fields are marked *