ଏହି କାରଣରୁ ଆଇପିଏଲ-୨୦୨୩ରୁ ବାଦ୍ ପଡ଼ିଲେ କେଏଲ ରାହୁଲ ଓ ଜୟଦେବ ଉନାଦକଟ

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (ଏଲଏସଜି) ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ଆଇପିଏଲ୍ ୨୦୨୩ରୁ ବାଦ ଦିଆଯାଇଛି। ଉଭୟ ଖେଳାଳି ଆହତ ହୋଇଥିବାରୁ ସେମାନଙ୍କୁ ବିଶ୍ରାମ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ କେଏଲ ରାହୁଲ ଆହତ ହୋଇଥିବା ବେଳେ ବୋଲିଂ ଅଭ୍ୟାସ କରୁଥିବାବେଳେ ଜୟଦେବ ଉନାଦକଟ ଆହତ ହୋଇଥିଲେ। ଏଲଏସଜିର ୨ଖେଳାଳି ବାଦ୍ ପଡ଼ିବା ପରେ ଏବେ ଟିମକୁ ବଡ଼ ଝଟକା ଲାଗିଥିବା କୁହାଯାଉଛି।

ସୂଚନା ମୁତାବକ, ଲକ୍ଷ୍ନୌରେ ମେ’ ୧ରେ ଆରସିବି ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାହୁଲ ଆହତ ହୋଇଥିଲେ। ତାଙ୍କର ଡାହାଣ ଜଙ୍ଘରେ ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ରବିବାର ଦିନ ନେଟରେ ବୋଲିଂ ଅଭ୍ୟାସ କରୁଥିବା ବେଳେ ଉନାଦକଟ ଖସିପଡିବାରୁ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତେବେ ଆହତ ହୋଇ ଆଇପିଏଲରୁ ବାଦ ପଡ଼ିବା ପରେ ରାହୁଲ ଜୁନ୍ ୭-୧୧ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଖେଳିପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ତାଙ୍କୁ ଲାଗିଥିବା ଆଘାତ ଠିକ ହେବାକୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଥିବାରୁ ସେ ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଖେଳିପାରିବେ ନାହିଁ।

Leave a Reply

Your email address will not be published. Required fields are marked *