ପ୍ରତିବାଦ ପ୍ରତ୍ୟାହାର କଲେ କୁସ୍ତିଖେଳାଳି, ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ପଦରୁ ସାମୟିକ ଅବ୍ୟାହତି ନେବେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ବ୍ୟାପକ ଆଲୋଚନା କରିବା ପରେ ୩ ଦିନ ଧରି ଜନ୍ତରମନ୍ତରରେ ‘ରେସଲିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦରତ କୁସ୍ତି ଖେଳାଳିମାନେ ପ୍ରତିବାଦ ପ୍ରତ୍ୟାହାର କରିଛନ୍ତି । ଏହାସହ ବ୍ରିଜଭୂଷଣଙ୍କୁ ‘ରେସଲିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ଅଧ୍ୟକ୍ଷ ପଦରୁ ୪ ସପ୍ତାହ ପାଇଁ ଅବ୍ୟାହତି ନେବା ଲାଗି କୁହାଯାଇଛି । ଏଥିପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ୭ଘଣ୍ଟା କାଳ ପ୍ରତିବାଦରତ କୁସ୍ତି ଖେଳାଳିମାନଙ୍କ ସହିତ ଆଲୋଚନା ହୋଇଥିଲା । ସେମାନଙ୍କ ମଧ୍ୟରୁ ସମସ୍ତେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେଣୁ ‘ଡବ୍ଲୁଏଫ୍‌ଆଇ’ ସହିତ ଜଡ଼ିତ ଥିବା ମାମଲାର ତଦନ୍ତ ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ‘ଓଭରସାଇଟ୍‌ କମିଟି’ ଗଠନ କରିବ । ଏହି କମିଟି ୪ ସପ୍ତାହ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବ । ଏହି ଅବଧିରେ ବ୍ରିଜଭୂଷଣ ନିଜ ଦୈନନ୍ଦିନ ଦାୟିତ୍ୱରୁ ଅବ୍ୟାହତି ନେଇ ତଦନ୍ତରେ ସହଯୋଗ କରିବେ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି । ସେହିଭଳି ‘ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌’ର ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ପ୍ରତିବାଦ ସ୍ଥଗିତ ରଖିବେ ବୋଲି ପ୍ରତିବାଦକାରୀ କୁସ୍ତି ଖେଳାଳିମାନେ ମଧ୍ୟ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରିଜଭୂଷଣ ଯୌନ ଶୋଷଣ କରୁଥବା ଅଭିଯୋଗ ହୋଇଥିଲା । ଫଳରେ ଭିନେଶ ଫୋଗଟ୍‌, ବଜରଙ୍ଗ ପୁନିଆଙ୍କ ସମେତ ବହୁ କୁସ୍ତି ଖେଳାଳି ଜନ୍ତରମନ୍ତର ଠାରେ ‘ଡବ୍ଲୁଏଫଆଇ’ ଓ ଏହାର ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *