ହିମାଚଳ ପ୍ରଦେଶରେ ତୁଷାରପାତ, ୨୬୭ ସଡ଼କରେ ଯାତାୟାତ ବନ୍ଦ

ସିମଲା: ହିମାଚଳ ପ୍ରଦେଶରେ ପୁଣି ବରଫ ବର୍ଷା । ମୋନାଲି ଓ ସୌଲାନିରେ ତୁଷାରପାତ। ରାସ୍ତାଘାଟ ସବୁ ବରଫ ମୟ ହୋଇଛି । ବରଫର ସ୍ୱେତ ଚାଦର ପିନ୍ଧି ରୂପା ପରି ଚମକୁଛି ପାହାଡ଼ । ପ୍ରବଳ ହିମପାତରେ ରାସ୍ତା ଓ ଘର ସବୁଠି ବରଫ ଜମି ରହିଛି । ବରଫ ବର୍ଷା ଏବଂ ହିମାଳୟରୁ ଥଣ୍ଡା ପବନ ବହିବା ଯୋଗୁ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଯାଇଛି । ପ୍ରବଳ ଜାଡ଼ ଓ ତୁଷାରପାତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କଲ ହୋଇଛି ।

ଦ୍ୱିତୀୟ ଥର ପାଇଁ ହିମାଚଳରେ ତୁଷାରପାତ ହୋଇଛି । ରାସ୍ତା ବରଫ ଜମି ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାଂଶ ରାସ୍ତାକୁ ବନ୍ଦ କରାଯାଇଛି । ଦୁର୍ଘଟଣା ଆଶଙ୍କା ରହିଥିବାରୁ ୩ଟି ଜାତୀୟ ରାଜପଥ ସହିତ ୨୬୭ଟି ସଡ଼କକୁ ବନ୍ଦ କରାଯାଇଛି । ଲେହ- ମୋନାଲି ଏନଏଚରେ ଯାତାୟତ ବନ୍ଦ ରହିଛି । ସିମଲା-ଠିୟୋଗ ରାଜପଥ, ଠିୟୋଗ-ରାମପୁର ଓ ଠିୟୋଗ- ରୋହଡୁ ଜାତୀୟ ରାଜପଥ ବନ୍ଦ ରହିଛି । ଜାନୁଆରୀ ୧ରୁ ୧୪ ତାରିଖ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ହିମାଚଳରେ ୩୨ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥରେ ୨୩ରୁ ଅଧିକ ଦୁର୍ଘଟଣା ଘଟିଛି । ହିମାଚଳ ପ୍ରଦେଶରେ ୧୭ ଜାନୁଆରୀ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ହେଲେ ୧୮ ଜାନୁଆରୀରୁ ପୁଣି ଥରେ ବରଫ ବର୍ଷା ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *