ଚଇତି ମହୋତ୍ସବରେ ମନ ମୋହିଲା ଆଦିବାସୀ, ଓଡ଼ିଶୀ ନୃତ୍ୟ

ରାୟଗଡ଼ା: ରାୟଗଡ଼ା ଜିଲା ଲୋକ ମହୋତ୍ସବ ଚଇତି ତୃତୀୟ ସା ଥିଲା ଅତ୍ୟନ୍ତ ରୋଚକ। ଶୁକ୍ରବାର ରାୟଗଡ଼ା ବଜାର ଛୁଟି ଥିବାରୁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଜିଲାପାଳ ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତୃତୀୟ ସା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ। ବିଶିଷ୍ଟ ଅତିଥିଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ମାଝି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝି, କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଦମା ରାବା, ବିଧାୟକ ମକରନ୍ଦ ମୁଦୁଲି, ପଛୁଆ ଜାତି ବିକାଶ ଉପଦେଷ୍ଟା ପୃଥୀରାଜ ସାହୁ, ଗୁଣପୁର ପୌରାଧ୍ୟକ୍ଷ ମମତା ଗୌଡ଼, ଗୁଡାରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀ ଶବର, ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଇନ କିମ୍ବାକା, ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ଅତିଥିମାନେ ଅବିଭକ୍ତ କୋରାପୁଟ ଜିଲାର କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶୀନୃତ୍ୟର ତାଳରେ ଆରମ୍ଭ ହୋଇଥିଲା ତୃତୀୟ ସା। କୁନି କୁନି ପିଲା ଅତି ସୁନ୍ଦର ଭାବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଯାହା ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶୁକ୍ରବାର କୋଲକାତା ନୂପୁର କଳାକାର ଦ୍ବାରା ବଙ୍ଗଳା ଲୋକନୃତ୍ୟ, ଜଗତ୍‌ସିଂହପୁର ଜିଲାର ଘୋଡା ନାଚ, ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ପାରମ୍ପରିକ ନୃତ୍ୟ, ରାମନାଗୁଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା କଥକ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ଆଜିର ସନ୍ଧ୍ୟାର ସ୍ବତନ୍ତ୍ର ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ଅସୀମା ଓ ସାଥୀଙ୍କ ଗୀତ ନୃତ୍ୟ ଚିତ୍ତାକର୍ଷକ ଥିଲା। ତାଙ୍କ ଗୀତରେ ମନ୍ତ୍ରୀ ସାରକା ନାଚିଥିଲେ। ଚଇତି ମଞ୍ଚରେ ୯ ଜଣଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା, ଜିଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଓପିଲିପ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢୀ, ଡିଆଇପିଆର୍‌ଓ ବସନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *