ରାଜ୍ୟ ସରକାର ଆବାସ ଘର ବଣ୍ଟନରେ ସାଧୁତା ଅବଲମ୍ବନ କରନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଘର ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଚାପ ନ ପକାଇ ତାଲିକାରେ ସାଧୁତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ଶୁକ୍ରବାର ଧର୍ମେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ଭର୍ତ୍ତି କରିବା ପାଇଁ ଓଡ଼ିଶା ଲାଗି ନିୟମ କୋହଳ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ୨୦୧୮ରୁ ୨୦୧୯ର ଅଧା ସମୟ ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ରହିଲା। ସେହି ସମୟରେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ କଲେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ବାରମ୍ବାର ଆବାସ ପ୍ଲସ୍‌ ପୋର୍ଟାଲ ଖୋଲିବା ପରେ ଅତିରିକ୍ତ ୮ ଲକ୍ଷ ଘର ଓ ଫନୀ କ୍ଷତିଗ୍ରସ୍ତଙ୍କୁ ୧.୫ ଲକ୍ଷ ଘର ଦେବାକୁ ନିଷ୍ପତ୍ତି ହେଲା। ରାଜ୍ୟରେ ପିଏମ୍‌ ଆବାସ ଯୋଜନା ନେଇ ବିଭିନ୍ନ ଟିପ୍ପଣୀ ହେବା କାରଣରୁ ସାଢ଼େ ୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ରଖିଥିବା ସର୍ତ୍ତରେ ରାଜ୍ୟ ସରକାର ସମ୍ମତି ଜଣାଇଲେ। ଏବେ ଅନେକ ଯୋଗ୍ୟ ଲୋକଙ୍କ ନାମ ତାଲିକାରେ ନ ଥିବା ଅଭିଯୋଗ ସାମ୍ନାକୁ ଆସୁଛି। ବର୍ତ୍ତମାନ ଯେଉଁ ସାଢ଼େ ୯ ଲକ୍ଷ ଘର ଆସିଛି ତାହା ଯୋଗ୍ୟ ଲୋକଙ୍କୁ ମିଳୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *