ଘରେ କାହିଁକି ରଖାଯାଏନାହିଁ ଶନି ଦେବଙ୍କ ପ୍ରତିମୂର୍ତ୍ତି, ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ୱର: କାହିଁକି ଘରେ ଶନିଦେବଙ୍କୁ କରାଯାଏନି ପୂଜା । ପୂଜା ଘରେ କାହିଁକି ରଖାଯାଏନାହିଁ ଶନି ଦେବଙ୍କ ପ୍ରତିମୂର୍ତ୍ତି । ଜାଣିଛନ୍ତି କି ଏହା ପଛର କାରଣ ? ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ସେମାନଙ୍କୁ ଅନ୍ୟ ଦେବତାମାନଙ୍କଠାରୁ ଭିନ୍ନ କରେ । ତେବେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଏଥିସହିତ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏବଂ ତାଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କୁ ପୂଜା ମଧ୍ୟ କରାଯାଏ । ତେବେ କିଛି ଲୋକଙ୍କ ପାଇଁ ଭଗବାନ ଶନି ଶୁଭ ହୋଇଥାନ୍ତି ତ କିଛି ଲୋକଙ୍କ ପାଇଁ ସେ ଅଶୁଭ ହୋଇଥାନ୍ତି । ଏଥିସହିତ ଶନିଦେବଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଘରେ ରଖାଯାଏ ନାହିଁ କି ପୂଜା କରାଯାଏ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ । ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ଘରେ ରଖିବା ଦ୍ୱାରା ଶନିଦେବଙ୍କ ସିଧା ଦୃଷ୍ଟି ଘର ଉପରେ ପଡିଥାଏ । ମାନ୍ୟତା ଅନୁସାରେ ଶନିଙ୍କ ସିଧା ଦୃଷ୍ଟି ବହୁତ ଅଶୁଭ ହୋଇଥାଏ । ଫଳରେ ଘରେ ଅଶାନ୍ତି ଏବଂ ସମସ୍ୟା ଲାଗି ରୁହେ । ତେଣୁ ଶନିଦେବଙ୍କ ପ୍ରତିମୂର୍ତ୍ତି ଘରେ ରଖିବା ଶୁଭ ହୋଇ ନଥାଏ । ଏଥିସହିତ ଶନିଦେବଙ୍କୁ ଘରେ ନ ରଖିବାର ପୌରାଣିକ କାରଣ ମଧ୍ୟ ରହିଛି ।

ତେବେ ପୌରାଣିକ ଶାସ୍ତ୍ର ଅନୁସାରେ, ଶନି ଦେବଙ୍କୁ ତାଙ୍କ ପତ୍ନି ଅଭିଶାପ ଦେଇଥିଲେ । ଥରେ ଶନିଦେବ ଧ୍ୟାନରେ ଥିବା ବେଳେ ତାଙ୍କୁ ପତ୍ନି ଧ୍ୟାନ ଭଗ୍ନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସବୁ ପରେ ମଧ୍ୟ ଶନିଦେବଙ୍କ ଧ୍ୟାନ ଭାଙ୍ଗି ନଥିଲା । ଫଳରେ ଶନିଙ୍କ ପତ୍ନୀ ରାଗିଯାଇ ଶନିଦେବଙ୍କୁ ଅଭିଶାପ ଦେଇଥିଲେ । ସେ କହିଥିଲେ ଯିଏ ବି ଶନିଙ୍କୁ ଦେଖିବ କିମ୍ବା ଯାହା ଉପରେ ଶନିଙ୍କ ସିଧା ଦୃଷ୍ଟି ପଡିବ ସେମାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହେବ । ତେଣୁ ଏହି କାରଣରୁ ଶନିଙ୍କୁ ଘରେ ରଖି ପୂଜା କରାଯାଏ ନାହିଁ ।

Leave a Reply

Your email address will not be published. Required fields are marked *