କିଛିବର୍ଷ ହେଲା ରାମନବମୀ ହିଂସା ବଢ଼ୁଛି

କୋଲକାତା: ଚଳିତବର୍ଷ ରାମନବମୀରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଟେକାପଥର ଫିଙ୍ଗା, ସ୍ଲୋଗାନବାଜି, ପୋଡ଼ାଜଳା ଓ ଧାର୍ମିକ ସ୍ଥଳଗୁଡ଼ିକ ଉପରେ ଆକ୍ରମଣ ଆଦି ବହୁ ଘଟଣା ଦେଖିବାକୁ ମିଳିଥିଲା। କିଛିବର୍ଷ ହେଲା ରାମନବମୀ ଶୋଭାଯାତ୍ରାଗୁଡ଼ିକ ସାମ୍ପ୍ରଦାୟିକ ଜ୍ବଳାମୁଖୀରେ ପରିଣତ ହେବା ଦେଖିବାକୁ ମିଳୁଛି। ଖଣ୍ଡା, ଛୁରି, ଲୁହାଛଡ଼, କାଠଫାଳିଆ ଆଦି ଶାଭାଯାତ୍ରା ସମୟରେ ସାଙ୍ଗରେ ନେବା ଦେଖିବାକୁ ମିଳିଛି।

୨୦୧୨ରୁ ୨୦୨୩ ପର୍ଯ୍ୟନ୍ତ ୧୧ ବର୍ଷର ତଥ୍ୟରୁ ଜଣାପଡ଼ିଛି ରାମନବମୀ ଶୋଭାଯାତ୍ରା ସହ ଜଡିତ ହିଂସା ଘଟଣାର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୨ରୁ ୨୦୧୫ ମଧ୍ୟରେ କେବଳ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଓ ଉତ୍ତରପ୍ରଦେଶରେ କିଛି ସଂଘର୍ଷ ଘଟିଥଲା। ଏହି ରାଜ୍ୟଗୁଡିକରେ ୨୦୧୬ରୁ ୨୦୧୯ ମଧ୍ୟରେ ହିଂସା ଘଟଣା ବୃଦ୍ଧି ପାଇଛି। ୨୦୧୮ରେ ଅତି କମ୍‌ରେ ୧୭ଟି ସାମ୍ପ୍ରଦାୟିକ ହିଂସା ଘଟଣା ରିପୋର୍ଟ କରାଯାଇଥିଲା। ୨୦୨୦-୨୧ରେ ମହାମାରୀ ଜନିତ ଲକ୍‌ଡାଉନ୍ ଯୋଗୁ ବାତାବରଣ ଶାନ୍ତିପୂର୍ଣ୍ଣ ଥିଲା। ୨୦୨୨ରେ ପାଞ୍ଚଟି ରାଜ୍ୟରେ ପୁନର୍ବାର ସଂଘର୍ଷ ଘଟିଥଲା। ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରେ ହିଂସା ଘଟଣା ଅଧିକ ଘଟିଛି। ବିଗତ କିଛି ବର୍ଷ ମଧ୍ୟରେ ଏହି ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରେ ହିଂସା ଦେଖାଦେଇଛି। ୨୦୨୩ରେ ସବୁଠାରୁ ଅଧିକ ହିଂସା ଘଟିଛି। ବିଶେଷତଃ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଏହି ହିଂସା ଉଦ୍‌ବେଗଜନକ ରହିଥିଲା। ୬୪ଟି ହିଂସା ମଧ୍ୟରୁ ପ୍ରସେସନ ପଥକୁ ନେଇ କିମ୍ବା ଶୋଭାଯାତ୍ରା ଉପରକୁ ଟେକାପଥର ଫିଙ୍ଗାକୁ ନେଇ ୨୭ଟି ହିଂସା ଘଟିଥିଲା। ଅନ୍ୟ କାରଣଗୁଡ଼ିକ ଭିତରେ ରହିଛି, ବିବାଦୀୟ ସ୍ଲୋଗାନ ଓ ଗୀତ, ଉଚ୍ଚସ୍ବରରେ ମାଇକ୍‌ ବଜାକୁ ବିରୋଧ, ଭଙ୍ଗାରୁଜା ଇତ୍ୟାଦି।

Leave a Reply

Your email address will not be published. Required fields are marked *