ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୧୫,୭୭୧ କଲେଜ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୨୯୦ କୋଟି ଟଙ୍କା ବ୍ୟୟ କରିବେ । ଏହା ପିଛିଲା ଭାବେ ୨୦୨୨ ଜାନୁଆରି ୧ ତାରିଖରୁ ଲାଗୁ ହେବ । ଗ୍ରାମୀଣ ପାଇପ ଜଳ ଯୋଗାଣ ନେଇ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ ଏହି ପ୍ରକଳ୍ପ ଦୁଇଟି ନିର୍ମାଣ ହେବ । ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷ ମଧ୍ୟରେ ଶେଷ ହେବ । ନୟାଗଡ଼ ଜିଲ୍ଲାର ଦଶପଲା, ଗଣିଆ ଓ ନୂଆଗାଁରେ ମଧ୍ୟ ହେବ ୩ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେହିଭଳି ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଅନ୍ୟପଟେ ବିଏସଏସସିସିଆରଆଇ କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମଧ୍ୟ ନିଆଯାଇଛି ।

  • ଓବିସି କମିସନ ଆଇନରେ ହେବ ସଂଶୋଧନ ।
  • ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି ।
  • ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ ।
  • ଜିଏସ୍‌ଟି, ବାଣିଜ୍ୟ କର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି ।
  • ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି ।
  • ଓଏସ୍‌ଜେଏସ୍‌ ଓ ଓଜେଏସ୍‌ ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ ।
  • ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।

Leave a Reply

Your email address will not be published. Required fields are marked *