ମହଙ୍ଗା ହେଉଛି ବାହାଘର: ବର୍ଷକରେ ଖର୍ଚ୍ଚ ୩୩% ବୃଦ୍ଧି, ହାରାହାରି ଖର୍ଚ୍ଚ ୨୧ ଲକ୍ଷରୁ ବଢ଼ି ହେଲାଣି ୨୮ ଲକ୍ଷ

ନୂଆଦିଲ୍ଲୀ: ଅନ୍ୟପକ୍ଷରେ ତ୍ରିପୁରା, ସିକ୍କିମ ଏବଂ ଇମ୍ଫାଲରେ ସବୁଠୁ କମ୍‌ସଂଖ୍ୟକ ବାହାଘର ରହିଛି। ଟାଏର-୨ ସହରଗୁଡ଼ିକ ମଧ୍ୟରେ ଲକ୍ଷ୍ନୌ, ଜୟପୁର ଏବଂ ଗୁରୁଗ୍ରାମରେ ସବୁଠୁ ଅଧିକ ବାହାଘର ହୋଇଛି। ଯଦି ବିବାହ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ଦେଖାଯାଏ ତାହେଲେ ଏହି ତାଲିକାର ଶୀର୍ଷରେ ‌ରାଜସ୍ଥାନର ଉଦୟପୁର ରହିଛି। ଏହା ପଛକୁ ଯଥାକ୍ରମେ ଗୋଆ ଓ ଜୟପୁର ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଲୋକମାନେ ବିବାହ ପାଇଁ ଚୟନ କରିଥିବା ସ୍ଥାନଗୁଡ଼ିକ ମଧ୍ୟରେ ସିଙ୍ଗାପୁର, ଆବୁଧାବି ଏବଂ ନ୍ୟୁୟର୍କ ଶୀର୍ଷ ତିନିଟି ମଧ୍ୟରେ ରହିଛି। ବିବାହ ସ୍ଥଳ ଏବଂ ହଲ୍‌ର ଚାହିଦା ସବୁଠୁ ଅଧିକ ଥିଲା। ଏହା ପଛକୁ ୱେଡିଂ ଫଟ୍ରୋଗ୍ରାଫର ଏବଂ ମେକଅପ୍ ଆର୍ଟିଷ୍ଟଙ୍କ ଚାହିଦା ରହିଥିଲା।

ନୂଆଦିଲ୍ଲୀ: ଦେଶରେ ବାହାଘର ଖର୍ଚ୍ଚ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଜନିତ କଟକଣା ପାଇଁ ୨୦୨୦ ଏବଂ ୨୦୨୧ ମସିହାରେ ଅପେକ୍ଷାକୃତ କମ୍‌ ସଂଖ୍ୟକ ବାହାଘର ହୋଇଥିଲା। କିନ୍ତୁ ୨୦୨୨ ମସିହାରେ ବିବାହ ସଂଖ୍ୟା ବଢ଼ିଛି। କେବଳ ସଂଖ୍ୟା ନୁହେଁ, ‌ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି। ୨୦୨୧ ମସିହାରେ ବାହାଘରର ହାରାହାରି ଖର୍ଚ୍ଚ ୨୧ ଲକ୍ଷ ଟଙ୍କା ରହିଥିଲା। ୨୦୨୨ରେ ଉକ୍ତ ଖର୍ଚ୍ଚ ୩୩.୩୩ ପ୍ରତିଶତ ବୃଦ୍ଧି ଘଟି ୨୮ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏସବୁ ସତ୍ତ୍ବେ ଅଧିକାଂଶ ବ୍ୟକ୍ତି ‌ସେମାନଙ୍କ ବିବାହ ଉତ୍ସବକୁ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କରିଛନ୍ତି। ୬୦.୨୧ ପ୍ରତିଶତ ବାହାଘର ୧୦୦ ଜଣରୁ କମ୍‌ ଅତିଥିଙ୍କୁ ନେଇ ହୋଇଛି। କେବଳ ୧୩ ପ୍ରତିଶତ ବାହାଘର ୩୦୦ରୁ ଅଧିକ ଅତିଥିଙ୍କୁ ନେଇ ହୋଇଛି ବୋଲି ବିବାହ ପ୍ରଯୁକ୍ତି ପ୍ଲାଟଫର୍ମ ୱେଡିଂଓୟାର ଇଣ୍ଡିଆ ତଥ୍ୟରୁ ଜଣାଯାଇଛି। ୱେଡିଂଓୟାର ଇଣ୍ଡିଆର ବିପଣନ ମୁଖ୍ୟ ଅନାମ ଜୁବେର୍‌ କହିଛନ୍ତି, ୨୦୨୦ ଏବଂ ୨୦୨୧ରେ କରୋନା ମହାମାରୀଜନିତ କଟକଣା ପାଇଁ ଅନେକଙ୍କ ବାହାଘର ହୋଇ ପାରି ନଥିଲା। ତେଣୁ ସେମାନେ ୨୦୨୨କୁ ଅପେକ୍ଷା କରିଥିଲେ। ବାହାଘର ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ପୂର୍ବରୁ ଖର୍ଚ୍ଚ ପାଇଁ ରଖାଯାଇଥିବା ବଜେଟ୍‌ରେ ସେତେଟା ପରିବର୍ତ୍ତନ ଅଣାଯାଇ ନଥିଲା ବୋଲି ସେ କହିଛନ୍ତି।

୨୦୨୨ ବର୍ଷର ଅନ୍ୟାନ୍ୟ ମାସଗୁଡ଼ିକ ତୁଳନାରେ ଡିସେମ୍ବର ମାସରେ ଅଧିକ ବାହାଘର ହୋଇଥିଲା। ବର୍ଷକର ମୋଟ ବିବାହ ସଂଖ୍ୟା ମଧ୍ୟରୁ ୨୧.୫ ପ୍ରତିଶତ ଡିସେମ୍ବରରେ ହୋଇଥିଲା। ଅର୍ଥାତ୍ ପ୍ରତି ୫ଟିରୁ ଗୋଟିଏ ବାହାଘର ଏହି ମାସରେ ଦେଖିବାକୁ ମିଳିଥିଲା। ଏହା ପଛକୁ ଫେବ୍ରୁଆରିରେ ୧୫.୪୯ ପ୍ରତିଶତ ହୋଇଥିଲା। ତାରିଖ ହିସାବରେ ଡିସେମ୍ବର ୨ରେ ସବୁଠୁ ଅଧିକ ବାହାଘର ହୋଇଥିଲା।

ବାର ହିସାବରେ ଦେଖିଲେ ରବିବାର ସବୁଠୁ ଅଧିକ ବାହାଘର ହୋଇଥିଲା। ୨୦ ପ୍ରତିଶତ ଲୋକ ରବିବାର ଦିନ ବାହା ହେବାକୁ ପସନ୍ଦ କରିଛନ୍ତି। ଏହା ପଛକୁ ଶୁକ୍ରବାର (୧୯.୭ ପ୍ରତିଶତ) ରହିଛି। ଭାରତର ବଡ଼ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସବୁଠୁ ଅଧିକ ବାହାଘର ହୋଇଛି। ସର୍ବାଧିକ ବାହାଘର ଦିଲ୍ଲୀରେ ହୋଇଥିବାବେଳେ ଏହା ପଛକୁ ଯଥାକ୍ରମେ ବେଙ୍ଗାଲୁରୁ ଓ ମୁମ୍ବାଇ ରହିଛି। ୨୦୨୦ ମସିହାରେ ମଧ୍ୟ ଦିଲ୍ଲୀରେ ସର୍ବାଧିକ ବାହାଘର ହୋଇଥିଲା।

ଅନ୍ୟପକ୍ଷରେ ତ୍ରିପୁରା, ସିକ୍କିମ ଏବଂ ଇମ୍ଫାଲରେ ସବୁଠୁ କମ୍‌ସଂଖ୍ୟକ ବାହାଘର ରହିଛି। ଟାଏର-୨ ସହରଗୁଡ଼ିକ ମଧ୍ୟରେ ଲକ୍ଷ୍ନୌ, ଜୟପୁର ଏବଂ ଗୁରୁଗ୍ରାମରେ ସବୁଠୁ ଅଧିକ ବାହାଘର ହୋଇଛି। ଯଦି ବିବାହ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ଦେଖାଯାଏ ତାହେଲେ ଏହି ତାଲିକାର ଶୀର୍ଷରେ ‌ରାଜସ୍ଥାନର ଉଦୟପୁର ରହିଛି। ଏହା ପଛକୁ ଯଥାକ୍ରମେ ଗୋଆ ଓ ଜୟପୁର ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଲୋକମାନେ ବିବାହ ପାଇଁ ଚୟନ କରିଥିବା ସ୍ଥାନଗୁଡ଼ିକ ମଧ୍ୟରେ ସିଙ୍ଗାପୁର, ଆବୁଧାବି ଏବଂ ନ୍ୟୁୟର୍କ ଶୀର୍ଷ ତିନିଟି ମଧ୍ୟରେ ରହିଛି। ବିବାହ ସ୍ଥଳ ଏବଂ ହଲ୍‌ର ଚାହିଦା ସବୁଠୁ ଅଧିକ ଥିଲା। ଏହା ପଛକୁ ୱେଡିଂ ଫଟ୍ରୋଗ୍ରାଫର ଏବଂ ମେକଅପ୍ ଆର୍ଟିଷ୍ଟଙ୍କ ଚାହିଦା ରହିଥିଲା।

Leave a Reply

Your email address will not be published. Required fields are marked *