ଇଭି କାର୍‌ ବଜାରରେ ମୂଲ୍ୟ ହ୍ରାସ ପ୍ରତିଯୋଗିତା ଆରମ୍ଭ

ନୂଆଦିଲ୍ଲୀ : ଭାରତରେ ଆଗାମୀ ଦିନରେ ବିଦ୍ୟୁତ୍ କାର୍‌ ଉନ୍ମୋଚନ କରିବା ପାଇଁ ପ୍ରମୁଖ ଅଟୋମୋବାଇଲ କମ୍ପାନିଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ତେବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏହାର ବହୁ ପ୍ରତୀକ୍ଷିତ ବିଦ୍ୟୁତ୍ ଯାନ (ଇଲେକ୍ଟ୍ରିକ୍‌ ଏସ୍‌ୟୁଭି) ଏକ୍ସୟୁଭି ୪୦୦ ଉନ୍ମୋଚନ କରିବାର ପରଦିନ ଏ କ୍ଷେତ୍ରର ପ୍ରମୁଖ କମ୍ପାନି ଟାଟା ଏହାର ବିଦ୍ୟୁତ ଯାନ ନେକ୍ସନର ମୂଲ୍ୟ ୩୧ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଗତକାଲି ହ୍ରାସ ଘୋଷଣା କରିଛି।

ନେକ୍ସନ ଇଭି ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ୍ସୟୁଭି ୪୦୦ର ଟପ୍‌ ଭାରିଆଣ୍ଟ୍‌ ମୂଲ୍ୟ ୧୮.୯୯ ଲକ୍ଷ ଟଙ୍କା ସ୍ତରରେ ରହିଛି। କିନ୍ତୁ ଟାଟା ମୋଟର୍ସ ଏହାର ଲୋ ‌ଏ‌ଣ୍ଡ୍ ଭାରିଆଣ୍ଟ ନେକ୍ସନ ଇଭି ମୂଲ୍ୟରେ ୫୦ ହଜାର ଟଙ୍କା ହ୍ରାସ କରି ୧୪.୪୯ ଲକ୍ଷ ଟଙ୍କା ରଖିବା ଫଳରେ ଏହା ମୂଲ୍ୟ ଏକ୍ସୟୁଭି ୪୦୦ର ଲୋ ଏଣ୍ଡ୍ ଭାରିଆଣ୍ଟ ତୁଳନାରେ ଦେଢ଼ ଲକ୍ଷ ଟଙ୍କା କମ୍ ରହିଛି।

ଭାରତରେ ବର୍ତ୍ତମାନ ଟାଟା ମୋଟର୍ସର ୩ଟି ଇଲେକ୍ଟ୍ରିକ କାର ରହିଛି। ସେଗୁଡ଼ିକ ହେଲା ଟିଆଗୋ, ଟିଗୋର ଏବଂ ନେକ୍ସନ। ଏଗୁଡ଼ିକର ମୂଲ୍ୟ ୮.୪୯ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୮.୯୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଡିସେମ୍ବରରେ ଟାଟା ମୋଟର୍ସ ଭାରତୀୟ ବଜାରରେ ଏକମାତ୍ର ୫୦ ହଜାର ଇଭି ବିକ୍ରି କରିଥିଲା। ଭାରତରେ ଡିସେମ୍ବରରେ ଟାଟା ମୋଟର୍ସର ୮୦ ପ୍ରତିଶତରୁ ଅଧିକ ବଜାରଅଂଶ ଥିବାବେଳେ ଏହା ପଛକୁ ଏମଜି ମୋଟରର ୧୦ ପ୍ରତିଶତ ବଜାରଅଂଶ ରହିଥିଲା।

Leave a Reply

Your email address will not be published. Required fields are marked *